ଭାରତରେ ପ୍ରାୟ ୧୧.୯ କୋଟି ବ୍ୟକ୍ତି ବୟନଶିଳ୍ପ ଏବଂ ପୋଷାକ ଉତ୍ପାଦନ କ୍ଷେତ୍ରରେ ନିୟୋଜିତ ଅଛନ୍ତି, ଯେଉଁଥିରେ ମହିଳାମାନଙ୍କ ସଂଖ୍ୟା ପ୍ରାୟ ୩୫%। ନିମ୍ନ-କୁଶଳୀ ଏବଂ ଅର୍ଦ୍ଧ-କୁଶଳୀ ମହିଳା ଶ୍ରମିକମାନଙ୍କୁ ଏହି କ୍ଷେତ୍ର ସବୁଠାରୁ ଅଧିକ ନିଯୁକ୍ତି ଦେଇଥାଏ। ଭାରତର ପ୍ରମୁଖ ଟେକ୍ସଟାଇଲ୍ ୟୁନିଟ୍ ଗୁଡିକରେ ଓଡ଼ିଶାର କୁଶଳୀ ଶ୍ରମିକମାନଙ୍କର ଉଲ୍ଲେଖନୀୟ ଉପସ୍ଥିତି ରହିଛି। ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ଓଡିଶାରେ ଟେକ୍ସଟାଇଲ୍ ୟୁନିଟ୍ ପ୍ରତିଷ୍ଠାକୁ ସରକାର ପ୍ରାଥମିକତା ଦେଉଛନ୍ତି। ଏହିପରି ଜଣେ ନିଯୁକ୍ତିଦାତା ହେଉଛନ୍ତି ଶାହି ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ୍।
ଏହି ସଂସ୍ଥା ଓଡିଶାରୁ ତାଲିମପ୍ରାପ୍ତ ଅପରେଟରମାନଙ୍କୁ ନିଯୁକ୍ତି ଦେଇଥାଏ ଓ ଏହାର ପ୍ରାୟ ୬୦% କର୍ମଚାରୀ ହେଉଛନ୍ତି ଓଡ଼ିଶାର କୁଶଳୀ ମହିଳା। DDU-GKY, ଓଡିଶା ଅଧୀନରେ ଏକ ପ୍ରଶିକ୍ଷଣ ସହଯୋଗୀ ଭାବରେ ଶାହି ଏକ୍ସପୋର୍ଟ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ମଧ୍ୟ ଦେବା ସହ ଭୁବନେଶ୍ୱରରେ ଏକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିଛି। କମ୍ପାନୀ ଅଧିକାରୀଙ୍କ ଅନୁଯାୟୀ, ଓଡିଶାର ଅପରେଟରମାନେ ଖୁବ୍ ପରିଶ୍ରମୀ ଓ ସବୁବେଳେ ନୂଆ ଜିନିଷ ଶିଖିବାକୁ ଚେଷ୍ଟା କରନ୍ତି।
ରାଜ୍ୟରେ ପ୍ରଥମ ଉତ୍ପାଦନ ୟୁନିଟ୍ ସଫଳତାର ସହ କାର୍ଯ୍ୟକ୍ଷମ ହେବା ପରେ ଶାହି ଏକ୍ସପୋର୍ଟ ଆଉ ଏକ ୟୁନିଟ୍ ସ୍ଥାପନ କରିଛି। ବର୍ତ୍ତମାନ ଉଭୟ ୟୁନିଟରେ ୫,୫୦୦ରୁ ଅଧିକ ଶ୍ରମିକ ନିୟୋଜିତ ଅଛନ୍ତି ଏବଂ ନିକଟ ଭବିଷ୍ୟତରେ ଆହୁରି ୨,୦୦୦ ଜଣଙ୍କୁ ନିଯୁକ୍ତି ଦେବାକୁ କମ୍ପାନୀ ଯୋଜନା ରଖିଛି। ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାର କର୍ମଚାରୀଙ୍କୁ ଏହି ସଂସ୍ଥା ତାଲିମ ଏବଂ ନିଯୁକ୍ତି ସୁଯୋଗ ପ୍ରଦାନ କରିଛି। ୨୯୮ଟି ବ୍ଲକର ୨, ୯୦୦ଟି ଗାଁରେ କମ୍ପାନୀ ପହଞ୍ଚି ପାରିଛି। କୌଶଳ ବିକାଶ ଓ ନିଯୁକ୍ତି ଦ୍ୱାରା ଲୋକଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିଛି।
ଦ୍ୱିତୀୟ ଯୋଜନା ଅବଧିରେ ଯଥେଷ୍ଟ ସଂଖ୍ୟାରେ କୁଶଳୀ କାରିଗର ସୃଷ୍ଟି କରିବା ଉଦ୍ଦେଶ୍ୟରେ ୧୯୫୭ ମସିହାରେ ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍, ବାଲେଶ୍ଵର ପ୍ରତିଷ୍ଠା କରାଯାଇଥିଲା। ୨୦୦୬-୦୭ ମସିହାରେ ଭାରତ ସରକାରଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଦ୍ଵାରା ବୈଦ୍ୟୁତିକ ସେବା କ୍ଷେତ୍ରରେ ସେଣ୍ଟର ଅଫ୍ ଏକ୍ସଲେନ୍ସ ମାନ୍ୟତା ମିଳିବା ପରେ ଏହି ଅନୁଷ୍ଠାନକୁ ଏକ ନୂତନ ଦିଗ ମିଳିଛି।
ବିଗତ କିଛି ଦଶନ୍ଧି ମଧ୍ୟରେ, ଅନୁଷ୍ଠାନରେ ବ୍ୟାପକ ଉନ୍ନତି ହୋଇଛି। ସୃଜନଶୀଳତା ଏବଂ ନୂତନତ୍ୱ ଉପରେ ଧ୍ୟାନ ଦେଇ ବୃତ୍ତିଗତ ଶିକ୍ଷା ପ୍ରଦାନ ପାଇଁ ଅଧ୍ୟାପକମାନେ ଉତ୍ସର୍ଗୀକୃତ ଭାବେ ଉଦ୍ୟମ କରୁଛନ୍ତି। ମାନବ ସମ୍ବଳ ସହିତ ଅତ୍ୟାଧୁନିକ ଭିତ୍ତିଭୂମି ଏକୀକରଣ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଏହି ଅନୁଷ୍ଠାନରୁ ତାଲିମ ପ୍ରାପ୍ତ ହଜାର ହଜାର ପ୍ରଶିକ୍ଷାର୍ଥୀ ସଫଳତାର ସହ ବିଭିନ୍ନ ବୃତ୍ତିଗତ କ୍ଷେତ୍ରରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରୁଛନ୍ତି। ଏକ ଅଗ୍ରଣୀ ଗୁଣାତ୍ମକ ତାଲିମ ପ୍ରଦାନକାରୀ ସଂସ୍ଥା ଭାବରେ ଏହି ଅନୁଷ୍ଠାନ ନିଜକୁ ପ୍ରତିଷ୍ଠିତ କରିପାରିଛି।
ଏହି ଅନୁଷ୍ଠାନରେ ୧୭ଟି ଶାଖାରେ ପ୍ରତିବର୍ଷ ୭୪୦ ଛାତ୍ରଛାତ୍ରୀଙ୍କ ପାଇଁ ସିଟ ରହିଛି। ପ୍ରିନସିପାଲ ଶ୍ରୀ କେ ସି ରାଉତଙ୍କ ନେତୃତ୍ୱରେ ଶିଳ୍ପ ଜଗତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଇଟିଆଇ ବାଲେଶ୍ୱର ନିଜକୁ ପ୍ରସ୍ତୁତ କରୁଛି। ପ୍ରଶିକ୍ଷାର୍ଥୀଙ୍କ ଯୋଗାଯୋଗ ଦକ୍ଷତାକୁ ଉନ୍ନତ କରିବା ପାଇଁ ଏହି ଅନୁଷ୍ଠାନରେ ଆଧୁନିକ ଭିତ୍ତିଭୂମି ଏବଂ ଉନ୍ନତ ଯୋଗାଯୋଗ ଲ୍ୟାବ କାର୍ଯ୍ୟକ୍ଷମ କରାଯାଇଛି।
ବିଗତ ୫ ବର୍ଷ ହେବ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ସ୍କିଲ ଇକୋ ସିଷ୍ଟମ ଅଙ୍ଗାଙ୍ଗି ଭାବେ ଜଡ଼ିତ ଅଛନ୍ତି । ସ୍କିଲ ଇଣ୍ଡିଆ ମାନଚିତ୍ରରେ ଓଡ଼ିଶା ଏକ ଅଣ ସଂସ୍ଥାରୁ ସ୍କିଲ୍ଡ ଇନ୍ ଓଡି଼ଶା ବ୍ରାଣ୍ଡ ହେବା ପର୍ଯ୍ୟନ୍ତ ଯାତ୍ରାକୁ ନେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀ ପିନାକୀ ପଟ୍ଟନାୟକ କୁହନ୍ତି ଯେ, ୨୦୧୬ ମସିହାରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଗଠନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ୩ ବର୍ଷରେ ୮ ଲକ୍ଷ ଦକ୍ଷତା ବିକାଶ କରିବା । ହେଲେ ଏହା ପଛରେ ପ୍ରକୃତ ଲକ୍ଷ୍ୟ ଥିଲା 'ସ୍କିଲ୍ଡ-ଇନ୍-ଓଡିଶା' ଭଳି ଏକ ବଡ଼ ବ୍ରାଣ୍ଡ ସୃଷ୍ଟି କରିବା । ଯେହେତୁ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ଚାବିକାଠି ହେଉଛି ଦକ୍ଷତା । ତେଣୁ ତୃଣମୂଳସ୍ତରରେ ଦକ୍ଷତା ବିକାଶକୁ ଅଗ୍ରାଧିକାର ଦେବା ସହ ଏହି ବ୍ରାଣ୍ଡ ସୃଷ୍ଟି କରିବା ପାଇଁ ଓଏସଡିଏ ୩ଟି ଜିନିଷ ଉପରେ ଗୁରୁତ୍ୱ ଦେଇଛି ।
-ବିଶ୍ୱ ଦରବାରରେ ଓଡ଼ିଶାର ପ୍ରତିଭାକୁ ଚିହ୍ନଟ କରିବା ସହ ସେମାନଙ୍କ ଦକ୍ଷତାକୁ ଆନ୍ତର୍ଜାତୀୟସ୍ତରକୁ ନେବା ପାଇଁ ମାର୍ଗଦର୍ଶନ କରିବା
-ଓଡ଼ିଶାକୁ ଦକ୍ଷତା ବିକାଶର ଏକ ଅନ୍ତରାଷ୍ଟ୍ରୀୟ ପ୍ରୟୋଗଶାଳା କରି ଗଢ଼ି ତୋଳିବା
-ସ୍କିଲ୍-ଇକୋ-ସିଷ୍ଟମରେ ନୂଆ ଓଡ଼ିଶାକୁ ରୂପାନ୍ତର କରିବା
ଦକ୍ଷତା ବିକାଶ କ୍ଷେତ୍ରରେ ଅନ୍ୟ ରାଜ୍ୟମାନେ ଓଡ଼ିଶା ମଡେଲକୁ ଅନୁକରଣ କରିବା ସହ କର୍ପୋରେଟ୍ ହାଉସ୍ ଗୁଡ଼ିକ ନିୟମିତ ଭାବେ ଆମ ରାଜ୍ୟର ଯୁବକଯୁବତୀମାନଙ୍କର ଦକ୍ଷତାକୁ ଦେଖି ନିଯୁକ୍ତି ସୁଯୋଗ ଦେଉଛନ୍ତି । ଯାହାକୁ ଦେଖିଲେ ଲାଗୁଛି ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ନେଇଥିବା ପ୍ରଣ ଧୀରେ ଧୀରେ ପୂରଣ ହେଉଛି । ସ୍କିଲଡ୍-ଇନ୍-ଓଡ଼ିଶାକୁ ଏକ ବ୍ରାଣ୍ଡ ଭାବେ ଗଢି ତୋଳିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ଗତ ୩ ବର୍ଷ ଧରି ଡିଡିୟୁ-ଜିକେୱାଇ ଭଳି ସ୍ୱଳ୍ପକାଳୀନ ଦକ୍ଷତା କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ସହ ଏହାକୁ ସଫଳ ଭାବେ ରାଜ୍ୟରେ କାର୍ଯ୍ୟକାରୀ କରିବାରେ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ୨୦୧୯ ମସିହାରେ ରୁଷିଆର କାଜାନ ଠାରେ ଆୟୋଜିତ ହୋଇଥିବା ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶା ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ନିକଟରେ ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ଇଣ୍ଡିଆ ସ୍କିଲ୍ସ ୨୦୨୧ରେ ସମସ୍ତ କ୍ଷେତ୍ରରେ ଓଡ଼ିଶା ଭଲ ପ୍ରଦର୍ଶନ କରିବା ସହ ସର୍ବାଧିକ ୫୧ଟି ମେଡାଲ ପାଇ ଭାରତର ୧ ନଂ ସ୍କିଲ ରାଜ୍ୟ ଭାବେ ମାନ୍ୟତା ପାଇଥିଲା । ପଦକ ବିଜେତାମାନେ ଚଳିତ ବର୍ଷ ସାଙ୍ଘାଇରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ।
କୋଭିଡ୍ ମହାମାରୀ ସମୟରେ ଆମେ ଉଭୟ ଆହ୍ୱାନର ସମ୍ମୁଖୀନ ହୋଇଛୁ ଓ ସୁଯୋଗ ମଧ୍ୟ ପାଇଛୁ । ଏହି ସମୟରେ ଉଭୟ ସ୍ୱଳ୍ପ ଓ ଦୀର୍ଘ ମିଆଦୀ ଦକ୍ଷତା ଭିତ୍ତିକ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଗଲା । ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ଆଇଟିଆଇ ଓ ପଲିଟେକ୍ନିକରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ନେଟୱାର୍କ ସମସ୍ୟା ପାଇଁ ଅନଲାଇନ ମାଧ୍ୟମରେ କ୍ଲାସ କରିବାକୁ ବଞ୍ଚିତ ହୋଇଥିଲେ । ମହାମାରୀ ସମୟରେ ସ୍କିଲ ଅନୁଷ୍ଠାନ ଓ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇପଡ଼ିଥିଲା । ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ମହାମାରୀ ପୂର୍ବରୁ ରାଜ୍ୟ ବାହାରେ ରହୁଥିବା ହଜାର ହଜାର ସଂଖ୍ୟକ ଯୁବକଯୁବତୀମାନେ ଓଡ଼ିଶା ଫେରିଆସିଥିଲେ । ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରକଳ୍ପ ପାଖାପାଖି ଏକ ବର୍ଷ ଧରି ବିଳମ୍ୱ ହୋଇଥିଲା । ଏହି ସବୁ ସମସ୍ୟା ମଧ୍ୟରେ କୋଭିଡ୍ ମହାମାରୀ ସମୟରେ ସ୍ୱାସ୍ଥ୍ୟସେବା, ଶିକ୍ଷା, ଖାଦ୍ୟ, ଯୋଗାଣ ଶୃଙ୍ଖଳ ଏବଂ ଡିଜିଟାଲ୍ ଦକ୍ଷତା ବିକାଶରେ ଦକ୍ଷତା ପାଠ୍ୟକ୍ରମ ମଧ୍ୟ ସୃଷ୍ଟି ହୋଇପାରିଛି ।
ଭବିଷ୍ୟତରେ ଏପରି ସଙ୍କଟକୁ ମୁକାବିଲା କରିବା ପାଇଁ ଆମେ ବ୍ୟକ୍ତିଗତ ବିପର୍ଯ୍ୟୟ ପରିଚାଳନା ଉପରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ତିଆରି କରି ଏହାର ସାମ୍ନା କରିପାରିବା ।
ସୁଯୋଗ ମିଳିଲେ ସେ କଣ ପରିବର୍ତ୍ତନ କରିବାକୁ ଚାହିଁବେ ଉତ୍ତରରେ ଶ୍ରୀ ପଟ୍ଟନାୟକ କୁହନ୍ତି ଯେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣଭାବେ କୌଣସି ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ସ୍ଥାନୀତ ହୋଇନାହିଁ । କେବଳ ଏହା ଯାନ୍ତ୍ରିକ ମହାବିଦ୍ୟାଳୟ ବ୍ୟତୀତ ହ୍ୟାକଥନ ଓ ଡିଜିଟାଲ ପ୍ଲାଟଫର୍ମ ଭଳି ଉପକ୍ରମରେ ଦେଖିବାକୁ ମିଳୁଛି । ଦକ୍ଷତା ବିକାଶକୁ କୃଷି ଏବଂ ଏହାକୁ ସହଯୋଗ କରୁଥିବା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେବାକୁ ବ୍ୟବସ୍ଥା କଲେ ଅଧିକ ଲାଭ ମିଳିବ ।
ବିଗତ ୪ ବର୍ଷ ମଧ୍ୟରେ ଓଡି଼ଶାର ଆଇଟିଆଇଗୁଡ଼ିକରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବଗୋଷ୍ଠୀଙ୍କ ଶାରିରୀକ, ଡିଜିଟାଲ, ବୌଦ୍ଧିକ ଓ ଭାବନାତ୍ମକ ଭିତ୍ତିଭୂମି ସୃଷ୍ଟି କ୍ଷେତ୍ରରେ ବଡ଼ଧରଣରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ୧୦୦ ତାଲିକାରେ ରାଜ୍ୟର ୧୧ଟି ଆଇଟିଆଇ ସ୍ଥାନ ପାଇଛନ୍ତି । ଏହି ୧୧ଟି ଆଇଟିଆଇ ମଧ୍ୟରୁ ୬ଟି ସରକାରୀ ଆଇଟିଆଇ ଦେଶର ଶ୍ରେଷ୍ଠ ତାଲିକାରେ ରହିଛନ୍ତି ।
ସାହାନା ପୋଷାକ କମ୍ପାନୀ ଭାରତର ଏକ ବଡ଼ ପୋଷାକ ଉତ୍ପାଦନକାରୀ କମ୍ପାନୀ ମଧ୍ୟରେ ଅନ୍ୟତମ। ଏହା ୧୯୮୪ ମସିହାରେ ପ୍ରତିଷ୍ଠା ହୋଇଥିଲା । ବୟନ ଶିଳ୍ପ କ୍ଷେତ୍ରରେ ସଂସ୍କାର ଆଣିବା ଲକ୍ଷ୍ୟ ନେଇ ଏହି କମ୍ପାନୀ କାର୍ଯ୍ୟ କରୁଛି । ଏହି ବୟନ ଶିଳ୍ପ କମ୍ପାନୀକୁ ୫୦ ବର୍ଷର ଅଭିଜ୍ଞତା ଥିବା ଶ୍ରୀ ଏନ.କ୍ରିଷ୍ଣସ୍ୱାମୀ (Sri N. Krishnaswamy) ଆରମ୍ଭ କରିଥିଲେ। ଆଜିର ଦିନରେ ସାହାନା ପୋଷାକ କମ୍ପାନୀ କେବଳ ଯେ ପୋଷାକ ପ୍ରସ୍ତୁତ କରୁଛି ତାହା ନୁହେଁ, ପୋଷାକ ପ୍ରସ୍ତୁତି ସହ ବିଶ୍ୱ ବ୍ୟବସାୟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛି ।
ଗ୍ରାହକଙ୍କ ସନ୍ତୁଷ୍ଟି ଉପରେ ନିର୍ଦ୍ଦିଷ୍ଟ ଧ୍ୟାନ ଦେଇ ଆମେ ଏକ ବିଶ୍ୱସ୍ତ ଏବଂ ଦକ୍ଷ ଉତ୍ପାଦକ ଭାବରେ ସର୍ବଭାରତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ହୋଇପାରିଛୁ । ଏହା ସହ ସାହାନା କମ୍ପାନୀ ସର୍ବଦା ସାମାଜିକ ଏବଂ ପରିବେଶ ଉପଯୋଗୀ ଅଭ୍ୟାସ ଉପରେ ଗୁରୁତ୍ୱ ଦେଇ ଆସୁଛି | ଆମର ପ୍ରମୁଖ ବାଣିଜ୍ୟ ସହଭାଗୀ ଦେଶଗୁଡ଼ିକ ହେଉଛି ଆମେରିକା, ହଂକଂ, ଜର୍ମାନୀ, ଏବଂ ସିଙ୍ଗାପୁର | ଆମେ ସର୍ବଦା ନୂଆ ଡିଜାଇନ୍, ସୃଜନଶୀଳତା, ପ୍ରଯୁକ୍ତିବିଦ୍ୟା,ଗୁଣବତ୍ତା ଏବଂ ବିଶ୍ୱ ବଜାର ସ୍ଥିତିକୁ ବିଶ୍ଳେଷଣ କରି କାମ କରିଆସୁଛୁ । ଆମେ ସବୁବେଳେ ଗୁଣବତ୍ତା ଏବଂ ଉତ୍କର୍ଷତା ଉପରେ ବିଶ୍ୱାସ କରୁ। ଆତ୍ମନିର୍ଭରଶୀଳତା ଆମ ବ୍ୟବସାୟର ମୂଳ ଲକ୍ଷ୍ୟ ଅଟେ |
ସାହାନା ସବୁବେଳେ ଲିଙ୍ଗଗତ ଅସମାନତାକୁ ଦୃଢ଼ ଭାବେ ବିରୋଧ କରେ । ଆମ ସହ ୮୦%ରୁ ଅଧିକ ମହିଳା କର୍ମଚାରୀ କାମ କରୁଛନ୍ତି । ଏହା ସହ ମହିଳା ସଶକ୍ତିକରଣକୁ ସବୁବେଳେ ସମର୍ଥନ କରିଆସୁଛି କମ୍ପାନୀ । ବୃତ୍ତିଗତ ଭାବରେ ଏବଂ ବ୍ୟକ୍ତିଗତ ସ୍ତରରେ ମହିଳାମାନଙ୍କୁ ସେମାନଙ୍କ ଲକ୍ଷ୍ୟ ସ୍ତରରେ ପହଞ୍ଚାଇବାକୁ ଆମେ ସର୍ବଦା ସମର୍ଥନ କରିଆସୁଛୁ | ଆମେ ମହିଳାମାନଙ୍କୁ ସାମାଜିକ ପ୍ରତିବନ୍ଧକକୁ ଭାଙ୍ଗିବାକୁ ସମର୍ଥନ କରୁଛୁ | ମହିଳାମାନେ ସବୁ କିଛି ହାଲୁକା ଭାବେ ଗ୍ରହଣ କରିବା ଉଚିତ ନୁହେଁ ସେମାନେ ସର୍ବଦା ସବୁ କ୍ଷେତ୍ରରେ ଆହ୍ୱାନ ଗ୍ରହଣ କରିବା ଉଚିତ୍ ବୋଲି ଆମେ ବିଶ୍ୱାସ କରୁ। କାର୍ଯ୍ୟ କରିବା ଏବଂ ଶିକ୍ଷଣୀୟ ବାତାବରଣ ସୃଷ୍ଟି କରିବା ପାଇଁ କାର୍ଯ୍ୟକ୍ଷେତ୍ରକୁ ଉତ୍କୃଷ୍ଟ ସ୍ଥାନ ଭାବେ ଗଢିବା ପାଇଁ ଆମେ କ୍ରମାଗତ ଭାବରେ କାର୍ଯ୍ୟକ୍ଷେତ୍ରର ବିକାଶ କରୁଛୁ । ଏଥି ସହ କର୍ମଚାରୀଙ୍କ ସୃଜନଶୀଳତାକୁ ମଧ୍ୟ ସବୁ ସମୟରେ ଗ୍ରହଣ କରୁଛୁ ।
ବୟନଶିଳ୍ପ ଏକ ନିଯୁକ୍ତିଦାତା ବଜାର ନୁହେଁ। ବର୍ତ୍ତମାନ ଏହା ଏକ କର୍ମଚାରୀଙ୍କ ବଜାର ପାଲଟିଯାଇଛି । ତେଣୁ ଏହି ଶିଳ୍ପରେ ପ୍ରତ୍ୟେକ କମ୍ପାନୀ ବଜାରରେ ଭଲ ପ୍ରଦର୍ଶନ କରିବା ପାଇଁ ତାଙ୍କ କର୍ମଚାରୀଙ୍କ ଉପରେ ଅଧିକ ନିର୍ଭରଶୀଳ ବୋଲି ସାହାନା ପୋଷାକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ.ପ୍ରଭୁ ଶାନକେର୍ (Mr. K.Prabhu Shanaker ) ବିଶ୍ୱାସ କରନ୍ତି | ଯେଉଁ ଯୁବ ଆଶାୟୀଙ୍କ ନିକଟରେ ଆଗକୁ ବଢିବା ରୋଜଗାର କରିବା ପାଇଁ ସ୍ୱପ୍ନ ଓ ଇଚ୍ଛା ଅଛି ସାହାନା ସେମାନଙ୍କ ଦକ୍ଷତାକୁ ଚିହ୍ନଟ କରି ସେମାନଙ୍କୁ ଆଗକୁ ବଢିବା ପାଇଁ ସହାୟତା କରୁଛି ।
ଜଣେ ପ୍ରମୁଖ ନିଯୁକ୍ତିଦାତା ହିସାବରେ ସାହାନା ଗୁଣାତ୍ମକ ଶିଳ୍ପ ତାଲିମ ପ୍ରଦାନ କରୁଛି। ସିଲେଇ ମେସିନ ଶିଖାଇବା ଏବଂ ଅନ୍ୟାନ୍ୟ ଟେକ୍ସଟାଇଲ୍ ସମ୍ବନ୍ଧୀୟ ଟ୍ରେଡରେ ପ୍ରଶିକ୍ଷଣ ପ୍ରଦାନ କରୁଛି। ଶିଳ୍ପ ପ୍ରତି ଆକୃଷ୍ଟ କରିବା ପାଇଁ ସାହାନା ତାହାର ଅତ୍ୟାଧୁନିକ ପ୍ରଶିକ୍ଷଣ କେନ୍ଦ୍ରରେ ବିଶେଷ କରି ମହିଳା ମାନଙ୍କ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା କରିଛି । ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ଦକ୍ଷତା ବିକାଶ ତାଲିମ ମାଧ୍ୟମରେ ଯୁବକମାନଙ୍କର ରୋଜଗାର କ୍ଷମତା ବୃଦ୍ଧି କରିବା ଓ ସେମାନଙ୍କୁ ସଶକ୍ତ କରିବା ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆମେ ବିଶେଷ ଭାବେ ଗୁରୁତ୍ୱ ଦେଇଥାଉ ।
ଓଡ଼ିଶାର ଭୁବନେଶ୍ୱରରେ ସାହାନା ବୈଷୟିକ ପୋଷାକ ପ୍ରତିଷ୍ଠାନ ସ୍ୱଳ୍ପ ମିଆଦି ଏବଂ ଦୀର୍ଘ ମିଆଦି ତାଲିମ ପ୍ରଦାନ କରୁଛି। ଏଠାରେ ତାଲିମ ନେବା ପରେ ପରବର୍ତ୍ତୀ ସମୟରେ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଏହାର କଳକାରଖାନାରେ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି। ଆଜି ପର୍ଯ୍ୟନ୍ତ ଆମେ ୩୫୦ ଜଣ ବ୍ୟକ୍ତିଙ୍କୁ ତାଲିମପ୍ରାପ୍ତ କରାଇ ନିଯୁକ୍ତି ଦେଇଛୁ। ଆଗାମୀ ଦିନରେ ୫ ହଜାର ଯୁବକଙ୍କୁ ତାଲିମ ଦେବା ସହ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛୁ । ବୈଷୟିକ ପ୍ଲାଟଫର୍ମରେ ଗ୍ରାମାଞ୍ଚଳର ଲୋକଙ୍କ ଦକ୍ଷତା ବିକାଶ କରି ସେମାନଙ୍କୁ ସଶକ୍ତ କରିବାରେ ସାହାନା ବୈଷୟିକ ପୋଷାକ ପ୍ରତିଷ୍ଠାନ ଦକ୍ଷ ଅଟେ। ଏକ ନିଆରା ସଂସ୍କୃତି ସହିତ ଏକ ସୁସ୍ଥ ସମ୍ପ୍ରଦାୟ ଗଠନ ଦିଗରେ ଆମେ ସର୍ବଦା କଠିନ ପରିଶ୍ରମ କରୁଛୁ ଏବଂ ଏହି ସଂସ୍କୃତିକୁ ବଜାୟ ରଖିବା ଦିଗରେ ନିରନ୍ତର ପ୍ରୟାସ କରୁଛୁ । ଆମ ଜୀବନରେ ଶିଖିବାର କୌଣସି ନିର୍ଦ୍ଦିଷ୍ଟ ସୀମା ନାହିଁ ବୋଲି ଆମେ ବିଶ୍ୱାସ କରୁ । ଏଣୁ କ୍ରମାଗତ ଭାବେ ଆମେ ଆମର କାମରୁ ପରସ୍ପରଠାରୁ କିଛି ନା କିଛି ଶିକ୍ଷା ଗ୍ରହଣ କରୁ । ଯାହା ଆମକୁ ଦକ୍ଷତାର ସହିତ କାର୍ଯ୍ୟ କରିବାକୁ ଶକ୍ତି ପ୍ରଦାନ କରିଥାଏ ।
କପି ସଂରକ୍ଷିତ ©2023 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ